Saturday, 27 June 2020

ଦେଶର ୮ ଟି ରାଜ୍ୟରେ ରହିଛି ୮୫% କରୋନା ମାମଲା

 





ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି କରୋନା ଚିନ୍ତା। ଦେଶରେ ୮ଟି ରାଜ୍ୟରେ ସର୍ବାଧିକ ୮୫.୫ ପ୍ରତିଶତ କରୋନା ମାମଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ସପ୍ତଦଶ ଉଚ୍ଚ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଦିଲ୍ଲୀର ନିର୍ମାଣ ଭବନଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେଇଥିଲେ ।
ଦେଶର ସାଂପ୍ରତିକ କୋଭିଡ-୧୯ ସ୍ଥିତି, ଆରୋଗ୍ୟ ଓ ମୃତ୍ୟୁ ହାର, ନମୁନା ପରୀକ୍ଷଣ ଓ ଭିତ୍ତିଭୂମି ଇତ୍ୟାଦି ନେଇ ଜିଓଏମ ବୈଠକକୁ ଅବଗତ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ଦେଶର ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟରୁ ୮ ଟି ରାଜ୍ୟରେ ଅଛନ୍ତି ଶତକଡା ୮୫.୫ ଭାଗ ରୋଗୀ । ଅନ୍ୟପଟେ କରୋନା ମୃତକଙ୍କ ମଧ୍ୟରୁ ମଧ୍ୟ ଶତକଡା ୮୭ ଭାଗ ଏହି ୮ଟି ରାଜ୍ୟରେ ରହିଛନ୍ତି । ଏହି ୮ ରାଜ୍ୟ ଗୁଡିକ ଯଥାକ୍ରମେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଟନ୍ତୁ । ଅଦ୍ୟାବଧି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ସଂକ୍ରମଣ ବିଶେଷଜ୍ଞ, ଟେକନିସିଆନ ଏବଂ ବରିଷ୍ଠ ଯୁଗ୍ମସ୍ତରୀୟ ଅଧିକାରୀଙ୍କ ନେତୃତ୍ଵରେ ୧୫ ଟି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ବୈଷୟିକ ନିୟମଗୁଡିକ ଉପରେ ଅବଗତ କରାଉଛନ୍ତି । ଅନ୍ୟ ଏକ କେନ୍ଦ୍ରୀୟ ଦଳ ବର୍ତ୍ତମାନ ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ଗସ୍ତରେ ଥାଇ ସେଠାକାର କୋଭିଡ-୧୯ ପରିଚାଳନା ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରୁଛନ୍ତି । ଜିଓଏମକୁ ଆଇଟିଆଇଏଚଏଏସ ଏବଂ ଆରୋଗ୍ୟ ସେତୁର ଉପକାରିତା ସମ୍ପର୍କରେ ବୁଝାଯାଇଥିଲା, ଯାହାକି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଯଥେଷ୍ଟ ଉପାଦେୟ ପ୍ରମାଣିତ ହୋଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅବଧାଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜିଓଏମକୁ ଅବଗତ କରାଯାଇଥିଲା । ଏଥିରେ ନମୁନା ପରୀକ୍ଷଣର ସଂପୂର୍ଣ୍ଣ ଉପଯୋଗ, ସମାଜରେ ବୟସ୍କ ଓ ପୁରୁଣା ରୋଗ ଲକ୍ଷଣ ଥିବା ରୋଗୀ ଚିହ୍ନଟ, ସମ୍ଭାବ୍ୟ ହଟସ୍ପଟର ଆକଳନ, ଆରୋଗ୍ୟ ସେତୁର ଉପଯୋଗ ଓ ପ୍ରକୃତ ଚିକିତ୍ସା ଦ୍ଵାରା ମୃତ୍ୟୁ ସଂଖ୍ୟା ହ୍ରାସ, ସାଂଘାତିକ ରୋଗୀମାନଙ୍କ ପାଇଁ ସ୍ଵତନ୍ତ୍ର ଅମ୍ଳଜାନ ସଂଯୁକ୍ତ ଶଯ୍ୟା ଓ ଭେଣ୍ଟିଲେଟର ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ଭାର୍ଗବ ଆଇସିଏମଆର ପକ୍ଷରୁ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ସେ ସେରୋଲୋଜିକାଲ ସର୍ଭେ ଏବଂ ବିଭିନ୍ନ ପରୀକ୍ଷା ଦ୍ଵାରା ନମୁନା ପରୀକ୍ଷଣ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ୨,୨୦,୪୭୯କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୭୮,୯୬,୭୦୭ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ବର୍ତ୍ତମାନ ୧୦୨୬ ଟି ଉତ୍ସର୍ଗୀକୃତ ରୋଗ ନିରୂପଣ ପରୀକ୍ଷାଗାର ରହିଛି । ଏଥିରେ ୭୪୧ ଟି ସରକାରୀ ଥିବାବେଳେ ୨୮୫ଟି ବେସରକାରୀ ପରୀକ୍ଷାଗାର ଅଛି ।
ଦେଶରେ ବର୍ତ୍ତମାନ କୋଭିଡ-୧୯ ପରିଚାଳନା ଭିତ୍ତିଭୂମି ଯଥେଷ୍ଟ ବୃଦ୍ଧି ପାଇଥିବା ନେଇ ଜିଓଏମକୁ ଅବଗତ କରାଯାଇଥିଲା । ବର୍ତ୍ତମାନ ୧୦୩୯ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଥିବା ବେଳେ ୧,୭୬,୨୭୫ ଏକାନ୍ତବାସ ଶଯ୍ୟା, ୨୨,୯୪୦ ଆସିୟୁ ଶଯ୍ୟା, ୭୭,୨୬୮ ଅମ୍ଳଜାନ ସହାୟତା ଯୁକ୍ତ ଶଯ୍ୟା ରହିଛି । ସେହିପରି ୨୩୯୮ ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧,୩୯,୪୮୩ ଏକାନ୍ତବାସ ଶଯ୍ୟା, ୧୧,୫୩୯ ଆଇସିୟୁ ଶଯ୍ୟା ଏବଂ ୫୧,୩୨୧ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଏହାଛଡା ୮,୯୫୮ଟି କୋଭିଡ କେୟାର ସେଣ୍ଟରରେ ୮,୧୦,୬୨୧ଟି ଶଯ୍ୟା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଛି ।

No comments:

Post a Comment